ପୁରୀ/ଗଞ୍ଜାମ: ଓଡ଼ିଶାରେ ଟମାଟୋ ଚାଷୀଙ୍କ ପାଇଁ ଗୁରୁତର ସଙ୍କଟ ସୃଷ୍ଟି ହୋଇଛି। ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅଞ୍ଚଳରେ ଟମାଟୋର ଦର ଅଭୂତପୂର୍ବ ଭାବେ ଗିରି ପଡ଼ିଛି। ବର୍ତ୍ତମାନ ଟମାଟୋର ଦର କିଲୋ ପିଛା ୨ରୁ ୪ ଟଙ୍କା ମଧ୍ୟରେ ରହିଛି, ଯାହା ଚାଷୀଙ୍କ ପାଇଁ ବଡ଼ କ୍ଷତିର କାରଣ ହୋଇଛି।କେହି କିଣୁନଥିବାରୁ କୁଇଣ୍ଟାଲ କୁଇଣ୍ଟାଲ ଟମାଟୋ କ୍ଷେତରେ ସଢ଼ିଯାଉଛି। ଚାଷୀମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷ କରିଥିବା ସତ୍ତ୍ୱେ ଏବେ ସମସ୍ତ ପରିଶ୍ରମ ବ୍ୟର୍ଥ ହୋଇପଡ଼ିଛି।
ଖଣ୍ଡାସାହି, ବେଗୁନିଆନସ୍ତ, ଓସିଂହା ଓ ନଇଗୁଆଁ ଭଳି ଅଞ୍ଚଳର ଶତାଧିକ ଚାଷୀ ଏହି ସମସ୍ୟାରେ ପଡ଼ିଛନ୍ତି। ପ୍ରଥମେ କାଳବୈଶାଖୀ ବର୍ଷା ଓ ପବନ, ପରେ ଅତ୍ୟଧିକ ଗରମ ଓ କୁହୁଡ଼ିର ପ୍ରଭାବରେ ଫସଲ ନଷ୍ଟ ହୋଇଯାଇଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏକେ ପରି ଚିତ୍ର ଦେଖାଯାଇଛି। ମଧୁରଚୁଆ ଗାଁରେ ଚାଷୀମାନେ ବାଧ୍ୟ ହୋଇ କ୍ଷେତରେ ଟ୍ରାକ୍ଟର ବୁଲାଇ ଟମାଟୋ ନଷ୍ଟ କରିଦେଇଛନ୍ତି। ଅମଳ ଅଧିକ ହେବା ସତ୍ତ୍ୱେ ବଜାରରେ ଉଚିତ ଦର ନମିଳିବାରୁ ଚାଷୀମାନଙ୍କ ଅଣ୍ଟା ଭାଙ୍ଗିଯାଇଛି।
