ପ୍ରଦୀପ ଗୁରୁଜୀ ଗିରଫ। ସତ୍ୟମ ଯୋଗ ଫାଉଣ୍ଡେସନର ମୁଖ୍ୟ ପ୍ରଦୀପ ଜୋତାଙ୍ଗିୟା ଓ ତାଙ୍କ ଗ୍ୟାଙ୍ଗକୁ ୨ କୋଟିରୁ ଉର୍ଦ୍ଧ୍ୱ ଜାଲି ଟଙ୍କା ସହ ଗିରଫ କରିଛି ସୁରଟ ପୁଲିସ। ଏମାନଙ୍କଠୁ ୫ଶହ ଟଙ୍କିଆ ୪୨ହଜାର ଜାଲି ନୋଟ ଜବତ ହୋଇଛି। ଚାଟ୍ ଜିପିଟି ବ୍ୟବହାର କରି ଟଙ୍କାର ଡିଜାଇନ୍ ରିଫାଇନ୍ କରୁଥିଲେ ଓ ନୋଟରେ ଅଲଗା ସିରିଏଲ ନମ୍ୱର ପକାଇ ଏଭଳି ଚଞ୍ଚକତା କରୁଥିଲେ। ବଜାରରେ ୧୫ଶହ ଟଙ୍କାର ଜାଲି ୫ଶହ ଟଙ୍କାର କାରବାର କରୁଥିଲେ। ଅର୍ଥାତ୍ ଅରିଜିନାଲ ୫ଶହ ଟଙ୍କା ବଦଳରେ ଦେଉଥିଲେ ୧୫ଶହ ଟଙ୍କାର ଜାଲି ନୋଟ୍। ସେମାନେ ଜାଲି ନୋଟ୍ ପ୍ରିଣ୍ଟ୍ କରିବା ଆରମ୍ଭ କରିଥିଲେ। ଏହା ଥିଲା ସେମାନଙ୍କର ପ୍ରଥମ ଡିଲ୍। ଯେଉଁଠି ୬୬ଲକ୍ଷ ଟଙ୍କା ଅରିଜିନାଲ ଟଙ୍କା ବଦଳରେ ସେମାନେ ୨ କୋଟି ଜାଲି ନୋଟ୍ ଦେଇଥାଆନ୍ତେ। ହେଲେ ଧରାପଡ଼ିଗଲେ। ସୁରଟରୁ ଅହମଦାବାଦ ଟଙ୍କା ଡେଲିଭରି ପାଇଁ ଯାଉଥିବା ବେଳେ ଗିରଫ ହେଲେ। ବଡ଼ କଥା, ପୁଲିସକୁ ଚକମା ଦେବାକୁ ଭାରତ ସରକାରଙ୍କ ଗାଡ଼ି ଓ ଆୟୁଷ ମନ୍ତ୍ରାଳୟର ସାଇନ୍ ଓ ଷ୍ଟିକର ମାରି ଏସୟୁଭିରେ ଯାଇଥିଲେ। ନୈତିକତା ଓ ସ୍ୱଛତାର ପ୍ରବଚନ ଦେଉଥିବା ପ୍ରଦୀପଙ୍କୁ ଗିରଫ ପରେ ସବୁଠି ହଇଚଇ ଖେଳିଯାଇଛି।
ଯୋଗ ଆଢ଼ୁଆଲରେ ଜାଲି ନୋଟର ଧନ୍ଦା କରୁଥିଲେ ପ୍ରଦୀପ। ଆଧ୍ୟାତ୍ମିକ ସଂଥର ଖୋଳରେ ଏଭଳି କାରବାର ଚଳାଇଥିଲେ ପ୍ରଦୀପ। ନକଲି ନୋଟ ଗୋଲକଧନ୍ଦାର ମୁଖ୍ୟ କିଙ୍ଗିପିନ୍ ସାଜିଥିଲେ। ଆତ୍ମଘୋଷିତ ସଂଥ ପ୍ରଦୀପଙ୍କ ସମେତ ମୋଟ ୭ଜଣଙ୍କୁ ଗିରଫ କରିଛି ପୁଲିସ। ଏମାନଙ୍କ ଭିତରେ ଜଣେ ମହିଳା ବି ଅଛନ୍ତି। ଅଭିଯୁକ୍ତମାନେ ଆଲିବାବା ଡିଜିଟାଲ ପେମେଣ୍ଟ ଗେଟୱେରେ ବ୍ୟବହାର କରି ଚୀନି ସୋର୍ସରୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ମାର୍କିଂ ଭଳି ସିକ୍ୟୁରିଟି ଥ୍ରେଡ୍ ପେପର କଣିଥିଲେ। ନକଲି ନୋଟର ଡିଜାଇନ, ଲେଆଉଟ୍ ଓ ଭିଜୁଆଲ ଫିଟରକୁ ଅସଲ ଭାରତୀୟ ନୋଟ ଭଳି କରିବାକୁ ଫଟୋ-ଏଡିଟିଂ ସଫ୍ଟଓ୍ୱେର ଓ ଚାଟ୍ ଜିପିଟି ଭଳି ଏଆଇ-ପ୍ଲାଟଫର୍ମର ଡିଜିଟାଲ ଟୁଲ ବ୍ୟବହାର କରୁଥିଲେ।

